ସଦ୍ଗୁରୁ: ଯୋଗରେ ଆମେ କହୁ ଯେ ସମଗ୍ର ସୃଷ୍ଟି ହେଉଛି ଧ୍ୱନି ମାନଙ୍କର ଏକ ଜଟିଳ ମିଶ୍ରଣ। ଏଥିରେ, ଆମେ କିଛି ଧ୍ୱନି ଚିହ୍ନଟ କରିଛୁ ଯାହାର ବିଭିନ୍ନ ଆୟାମକୁ ଉନ୍ମୁକ୍ତ କରିବାର କ୍ଷମତା ରହିଛି। କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସହିତ କେତେକ ଧ୍ୱନି ବ୍ୟବହୃତ ହୁଏ - ଏହି ମୁଖ୍ୟ ଧ୍ୱନି ମାନଙ୍କୁ ସାଧାରଣତଃ ମନ୍ତ୍ର କୁହାଯାଏ। ବିଭିନ୍ନ ପ୍ରକାରର ମନ୍ତ୍ର ରହିଛି। କିଛି ଜୟ କରିବା ଏବଂ ପ୍ରାପ୍ତ କରିବା ପାଇଁ ମନ୍ତ୍ର ଅଛି। ଆନନ୍ଦ ଏବଂ ପ୍ରେମ ପାଇଁ ମଧ୍ୟ ମନ୍ତ୍ର ଅଛି। ଅନ୍ୟ ଆୟାମକୁ ଅନୁଭବ କରିବା ପାଇଁ ମଧ୍ୟ ମନ୍ତ୍ର ଅଛି।
ସଠିକ୍ ସଚେତନତା ସହିତ ଏକ ମନ୍ତ୍ରର ପୁନରାବୃତ୍ତି ସର୍ବଦା ବିଶ୍ୱର ଅଧିକାଂଶ ଆଧ୍ୟାତ୍ମିକ ପଥରେ ମୌଳିକ ସାଧନା ଭାବେ ରହି ଆସିଛି। ଅଧିକାଂଶ ଲୋକ ମନ୍ତ୍ରର ବ୍ୟବହାର ବିନା ନିଜ ଭିତରେ ଶକ୍ତିର ସଠିକ୍ ସ୍ତରକୁ ଉଠିବାରେ ଅକ୍ଷମ। ମୁଁ ଦେଖୁଛି ନବେ ପ୍ରତିଶତରୁ ଅଧିକ ଲୋକଙ୍କୁ ସର୍ବଦା ନିଜକୁ ସକ୍ରିୟ କରିବା ପାଇଁ ଏକ ମନ୍ତ୍ର ଆବଶ୍ୟକ। ଏହା ବିନା, ସେମାନେ ନିଜକୁ ଧରି ରଖିବାରେ ସକ୍ଷମ ନୁହଁନ୍ତି।
ଯୋଗ ସଂସ୍କୃତିରେ ମହାମନ୍ତ୍ର ଭାବରେ ବିଚାର କରାଯାଉଥିବା ମୌଳିକ ମନ୍ତ୍ର ହେଉଛି "ଆଉମ୍ ନମଃ ଶିବାୟ।"
ଅଉମ୍ ଶବ୍ଦକୁ "ଓଁ" ଭାବରେ ଉଚ୍ଚାରଣ କରିବା ଉଚିତ ନୁହେଁ। ଏହାକୁ ଆପଣଙ୍କର ମୁହଁ ଖୋଲି ଉଚ୍ଚାରଣ କରିବା ଉଚିତ - "ଆଆଆ" ଏବଂ ଯେତେବେଳେ ଆପଣ ଧୀରେ ଧୀରେ ମୁହଁ ବନ୍ଦ କରନ୍ତି, ଏହା "ଉଉଉ" ହୋଇଯାଏ, ଏବଂ "ମ୍ମ୍ମ୍" ହୋଇଯାଏ। ଏହା ଏକ ପ୍ରାକୃତିକ ଘଟଣା, ଏପରି କିଛି ନୁହେଁ ଯାହା ଆପଣ କରନ୍ତି। ଯଦି ଆପଣ ପାଟି ଆଁ କରି ନିଃଶ୍ୱାସ ଛାଡ଼ନ୍ତି, ଏହା "ଆଆଆ" ହୋଇଯିବ। ଯେତେବେଳେ ଆପଣ ମୁହଁ ବନ୍ଦ କରନ୍ତି, ଏହା ଧୀରେ ଧୀରେ "ଉଉଉ" ହୋଇଯାଏ, ଏବଂ ବନ୍ଦ କଲାପରେ, ଏହା "ମ୍ମ୍ମ୍" ହୋଇଯାଏ। "ଅଅଅ" "ଉଉଉ," ଏବଂ “ମ୍ମ୍ମ୍” ହେଉଛି ଅସ୍ତିତ୍ୱର ମୌଳିକ ଧ୍ୱନି । ଯଦି ଆପଣ ଏହି ୩ଟି ଧ୍ୱନିକୁ ଏକାଠି ଉଚ୍ଚାରଣ କରନ୍ତି, ଆପଣ "ଆଉମ୍" ପାଇବେ। "ଆଉମ୍" ହେଉଛି ସବୁଠାରୁ ମୌଳିକ ମନ୍ତ୍ର। ତେଣୁ, ମହାମନ୍ତ୍ରକୁ "ଓଁ ନମଃ ଶିବାୟ" ଭାବରେ ଉଚ୍ଚାରଣ କରିବା ଉଚିତ ନୁହେଁ - ଏହାକୁ "ଆଉମ୍ ନମଃ ଶିବାୟ" ଭାବରେ ଉଚ୍ଚାରଣ କରିବା ଉଚିତ।
ଏହି ମନ୍ତ୍ର ଆପଣଙ୍କ ବୋଧଶକ୍ତିର ବୃଦ୍ଧି ଏବଂ ଅସ୍ତିତ୍ୱର ଏକ ବୃହତ୍ତର ଆୟାମ ପାଇଁ ଆପଣ ଉପଲବ୍ଧ ହେବା ଲାଗି କର୍ମର ଜାଲକୁ ସଫା କରିବା ନିମନ୍ତେ ତିଆରି କରାଯାଇଛି।
ଏହା ହେଉଛି ଶିବଙ୍କର ମନ୍ତ୍ର, ଯିଏ ସଂହାରକର୍ତ୍ତା। ସେ ଆପଣଙ୍କୁ ସଂହାର କରନ୍ତି ନାହିଁ ବରଂ ଯାହା ଜୀବନର ବୃହତ୍ତର ସମ୍ଭାବନା ଓ ଆପଣଙ୍କ ମଧ୍ୟରେ ବାଧା ଭାବରେ ଠିଆ ହୋଇଛି, ତାକୁ ଧ୍ୱଂସ କରନ୍ତି।ଏହି ମନ୍ତ୍ର ଆପଣଙ୍କର ଧାରଣା ବୃଦ୍ଧି କରିବା
"ନ-ମଃ ଶି-ବା-ୟ"କୁ ପଞ୍ଚାକ୍ଷର କିମ୍ବା ପାଞ୍ଚଟି ଅକ୍ଷର କୁହାଯାଏ। ଏହି ମନ୍ତ୍ର ହେଉଛି କେବଳ ପାଞ୍ଚଟି ଅକ୍ଷରର ଏକ ଅଦ୍ଭୁତ ସଂରଚନା, ଯାହା ଅସାଧାରଣ କାର୍ଯ୍ୟ କରେ। ସମୟର ଇତିହାସ ମଧ୍ୟରେ, ସମ୍ଭବତଃ ସର୍ବାଧିକ ସଂଖ୍ୟକ ଲୋକ ଏହି ପାଞ୍ଚଟି ଅକ୍ଷର ମାଧ୍ୟମରେ ସେମାନଙ୍କର ଚରମ ସମ୍ଭାବନାକୁ ପ୍ରାପ୍ତ କରିଛନ୍ତି।
ପଞ୍ଚାକ୍ଷର ମାନବ ସିଷ୍ଟମରେ ଥିବା ପାଞ୍ଚଟି ମୁଖ୍ୟ କେନ୍ଦ୍ର ସହିତ ସମ୍ପର୍କିତ ଏବଂ ସେଗୁଡ଼ିକୁ ସକ୍ରିୟ କରିବାର ଏକ ଉପାୟ। ଆମେ ଏହି ମନ୍ତ୍ରକୁ ଏକ ଶୁଦ୍ଧିକରଣ ପ୍ରକ୍ରିୟା ଭାବରେ ବ୍ୟବହାର କରିପାରିବା, ଏବଂ ଏକ ସମୟରେ ଆମେ କରିପାରୁଥିବା ସମସ୍ତ ଧ୍ୟାନର ଭିତ୍ତି ଭାବରେ ମଧ୍ୟ ବ୍ୟବହାର କରିପାରିବା। ଅଧିକାଂଶ ଲୋକ ନିଜ ଭିତରେ ମନ୍ତ୍ରର ଏକ ପର୍ଯ୍ୟାପ୍ତ କମ୍ପନ ସୃଷ୍ଟି ନକରି ନିଜ ଧ୍ୟାନକୁ ଧରି ରଖିବାରେ ସକ୍ଷମ ନୁହଁନ୍ତି। ମନ୍ତ୍ରଟିଏ ହେଉଛି ସେହି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଆପଣଙ୍କୁ ସେହି ଆବଶ୍ୟକୀୟ ମୌଳିକ କମ୍ପନ ପ୍ରଦାନ କରେ ଯାହା ଆପଣଙ୍କର ମାନସିକ ପ୍ରବୃତ୍ତି ଏବଂ ଶାରୀରିକ ଶକ୍ତିକୁ ଏକ ନିର୍ଦ୍ଦିଷ୍ଟ ସ୍ତରରୁ ତଳକୁ ଯିବାରୁ ପ୍ରତିରୋଧ କରେ।
ଏହି ପଞ୍ଚାକ୍ଷର ମଧ୍ୟ ପ୍ରକୃତିରେ ଥିବା ପାଞ୍ଚଟି ମୌଳିକ ତତ୍ତ୍ୱର ପ୍ରତିନିଧିତ୍ୱ କରେ। ନ ହେଉଛି ପୃଥିବୀ, ମ ହେଉଛି ଜଳ, ଶି ହେଉଛି ଅଗ୍ନି, ବା ହେଉଛି ବାୟୁ, ଏବଂ ୟ ହେଉଛି ଆକାଶ। ଯଦି ଆପଣ ପଞ୍ଚାକ୍ଷର ଉପରେ ପ୍ରଭୁତ୍ୱ ପାଇଯାଆନ୍ତି, ସେଗୁଡ଼ିକ ଆପଣଙ୍କ ଚେତନାରେ ପଞ୍ଚ ତତ୍ତ୍ୱରେ ତିଆରି ହୋଇଥିବା ସବୁକିଛିକୁ ବିଲୀନ କରିପାରନ୍ତି।
ଶିବଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ସେ ହେଉଛନ୍ତି ଭୂତେଶ୍ୱର - ଏମିତି ଜଣେ, ଯିଏ ପଞ୍ଚ ମହାଭୂତ ଉପରେ ପ୍ରଭୁତ୍ୱ ହାସଲ କରିଛନ୍ତି। ସମଗ୍ର ସୃଷ୍ଟି ହେଉଛି ଏହି ପଞ୍ଚ ତତ୍ତ୍ୱର ଏକ ଲୀଳା। ମାତ୍ର ପାଞ୍ଚଟି ଉପାଦାନରେ ଗଢ଼ା ଏପରି ଏକ ବିଶାଳ ସୃଷ୍ଟି! ଯଦି ଆପଣଙ୍କର ଏହି ପଞ୍ଚ ତତ୍ତ୍ୱ ଉପରେ ଟିକେ ବି ପ୍ରଭୁତ୍ୱ ମଧ୍ୟ ଅଛି, ତେବେ ଆପଣଙ୍କର ଜୀବନ ଏବଂ ମୃତ୍ୟୁ ଉପରେ ଏବଂ ଆପଣଙ୍କ ଚାରିପାଖରେ ଥିବା ସବୁକିଛି ଉପରେ ପ୍ରଭୁତ୍ୱ ଅଛି, କାରଣ ସବୁକିଛି ଏହି ପଞ୍ଚ ତତ୍ତ୍ୱରେ ତିଆରି। ଯୋଗର ସବୁଠାରୁ ମୌଳିକ ଅଭ୍ୟାସ ହେଉଛି ଭୂତ ଶୁଦ୍ଧି, ବା ଆପଣଙ୍କ ସିଷ୍ଟମରେ ଥିବା ପଞ୍ଚ ତତ୍ତ୍ୱକୁ ଶୁଦ୍ଧ କରିବା ଏବଂ ନିୟନ୍ତ୍ରଣକୁ ନେବା।
ଯଦି ଆପଣ ପଞ୍ଚ ତତ୍ତ୍ୱକୁ ନିୟନ୍ତ୍ରଣ କରନ୍ତି, ଆପଣ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର ଭୌତିକତାକୁ ନିୟନ୍ତ୍ରଣ କରିଛନ୍ତି କାରଣ ଆପଣଙ୍କର ସମଗ୍ର ଭୌତିକତା ହେଉଛି କେବଳ ଏହି ପାଞ୍ଚଟି ଉପାଦାନର ଏକ ଲୀଳା। ଯଦି ଏହି ପଞ୍ଚ ତତ୍ତ୍ୱ ଆପଣଙ୍କଠାରୁ ସେମାନେ କିପରି କାର୍ଯ୍ୟ କରିବେ ସେ ବିଷୟରେ ନିର୍ଦ୍ଦେଶ ନେଉଛନ୍ତି, ତେବେ ସ୍ୱାସ୍ଥ୍ୟ, ସମୃଦ୍ଧି, ସଫଳତା, ଏବଂ ଜୀବନ ଉପରେ ପ୍ରଭୁତ୍ୱ ଏକ ସ୍ୱାଭାବିକ ପରିଣାମ ରୂପରେ ଆସେ ।